Written By: Shyama Prasad Mishra
1990 ମସିହାରେ ପରଦେଶୀ ଚଢେଇ ସିନେମାରେ Arminta, ସେହିପରି ମୁଖ୍ୟମନ୍ତ୍ରୀ (2008)ରେ Germany ଝିଅ Sabrina ଙ୍କ ପରେ ସମ୍ଭବତଃ I am କାଳିଆ(2025) ରେ ରୁଷିଆ ମଞ୍ଚ ନାଟକ ଅଭିନେତ୍ରୀ Aniya ଓଡ଼ିଆ ସିନେମାରେ ତୃତୀୟ ଥର ପାଇଁ ଅଭିନୟ କରି ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି.Lee Blish Entertainment ବ୍ୟାନରରେ ପ୍ରସ୍ତୁତ ଓଡ଼ିଆ ସିନେମା “I AM କାଳିଆ “ର ପ୍ରଥମ ଦର୍ଶନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତ କହିଲେ ଆମ ଆଖି ଆଗକୁ ଚାଲି ଆସନ୍ତି ଦାସିଆ ବାଉରୀ, ସାଲବେଗ, ବଳରାମ ଦାସ. ଓଡ଼ିଆ ସିନେମାରେ ଏହିପରି ଭକ୍ତ ମାନଙ୍କ ଅନେକ କାହାଣୀ ହୋଇଛି.
ଏ ସମୟରେ ମଧ୍ୟ ମହାପ୍ରଭୁଙ୍କୁ ଖୁବ ଭକ୍ତି କରୁଥିବା, ତାଙ୍କ ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଥିବା ଅନେକ ବ୍ୟକ୍ତି ଆମ ସମାଜ ରେ ଅଛନ୍ତି, ଯେଉଁମାନେ ଲୋକଲୋଚନକୁ ଆସିପାରନ୍ତି ନାହିଁ.
ମହାପ୍ରଭୁଙ୍କ ପ୍ରତି ଆମ ଭକ୍ତି ବଡ଼ ନା ନିଜ ପ୍ରେମ ବଡ଼ ? କାଳିଆ ଆଗରେ ସବୁ ସମ୍ପର୍କ ତୁଛ…ସେହିପରି ଏକ ହୃଦୟସ୍ପର୍ଶୀ ସାମାଜିକ କାହାଣୀକୁ ନେଇ ଗଢି ଉଠିଛି ଓଡ଼ିଆ ସିନେମା “I am କାଳିଆ”
ବିଶିଷ୍ଟ କଳା ନିର୍ଦେଶକ ସୁବାଷ ସାହୁ ପ୍ରଯୋଜିତ “I am କାଳିଆ” ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ହରିହର ମହାପାତ୍ର, ରୁଷିଆର ମଞ୍ଚ ଅଭିନେତ୍ରୀ ଅନିୟା, କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ସାତ୍ୱକି ମିଶ୍ର ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି.ଏହି ଚଳଚ୍ଚିତ୍ରରେ ଦର୍ଶକ ମାନେ ହରିହର ମହାପାତ୍ରଙ୍କ ଏକ ସ୍ୱତନ୍ତ୍ର ତଥା ହୃଦୟସ୍ପର୍ଶୀ ଅଭିନୟ ଦେଖିବାକୁ ପାଇବେ.
କାହାଣୀ ମୋନାଲିସା ମହାପାତ୍ର, ଚିତ୍ରନାଟ୍ୟ ଓ ନିର୍ଦେଶନା ହରିହର ମହାପାତ୍ର ଦେଇଥିବା ବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ. ସହ-ନିର୍ଦେଶକ ଆଶିଷ ବେହେରା, ଚିତ୍ରଉତ୍ତୋଳନ କରିଛନ୍ତି କାନ୍ହୁ ନନ୍ଦ ଶୁଭମ. ପ୍ରଡ଼କ୍ସନ ଡିଜାଇନର ସାରଦା ନାୟକ ଏବଂ ପ୍ରଚାର ପ୍ରସାର ଦାଇତ୍ୱରେ ଅଛନ୍ତି ପ୍ରଣୟ ଜେଠୀ, ଉପଦେଷ୍ଟା ଅଛନ୍ତି ଅମୀୟ ମହାରଣା. ଶ୍ରୀକ୍ଷେତ୍ର ପୁରୀରେ ସିନେମାଟି ସମ୍ପୂର୍ଣ୍ଣ ଶୁଟିଙ୍ଗ ହୋଇଛି.ଉଲେଖଯୋଗ୍ୟ ବିଦେଶିନୀ ଙ୍କୁ ନେଇ ଏହା ସମ୍ଭବତଃ ତୃତୀୟ ଓଡ଼ିଆ ସିନେମା.
FIRST LOOK (ପ୍ରଥମ ଦର୍ଶନ) ଉତ୍ସବରେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଡ଼ ମୃତ୍ୟୁଞ୍ଜୟ ରଥ. ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଥିଲେ, ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା,ସ୍ୱାମୀ ବ୍ରହ୍ମIନନ୍ଦ ସରସ୍ବତୀ, ବାବା ଦିବାକର ଦାସ ଏବଂ ବାବା ପ୍ରସନ୍ନ ପାଟଶାଣୀ, ଓଡ଼ିଆ ସିନେମା ଜଗତର ବିଶିଷ୍ଟ ସିନେ ଗବେଷକ ସୂର୍ଯ୍ୟ ଦେଓ, କାହାଣୀକାର ଓ ସଂଳାପକାର ଶ୍ୟାମା ପ୍ରସାଦ ମିଶ୍ର, ଚଳଚ୍ଚିତ୍ର ସମୀକ୍ଷକ ଅମିତାଭ ଚୌଧୁରୀ, ସିନେ ପତ୍ରିକା ବାଣୀଚିତ୍ର ମୁଖ୍ୟ ଭାସ୍କର ଜେନା, ନିର୍ଦେଶକ ଶୈଳେନ୍ଦ୍ର ପରିଡା,ସଞ୍ଜୟ ମହାକୁଡ଼, ଅନେକ ବିଶିଷ୍ଟ କଳାକାର, ନିର୍ଦେଶକ, କଣ୍ଠଶିଳ୍ପୀ, ଟେକନିସିଆନ ତଥା ସାମ୍ବାଦିକ ମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ.
“I am କାଳିଆ” ଚଳଚ୍ଚିତ୍ର ଆସନ୍ତା ବାହୁଡା଼ ଯାତ୍ରା ଅବସର ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହି ଉତ୍ସବରେ ଘୋଷଣା କରାଯାଇଛି.